• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଲଞ୍ଚ ହେଲା ‘ଆଦିତ୍ୟ ଏଲ-୧’ । ସୂର୍ଯ୍ୟଙ୍କ ଉପରେ ଅଧ୍ୟୟନ କରିବାକୁ ଦେଶର ପ୍ରଥମ ସୂର୍ଯ୍ୟ ଅଭିଯାନ ଆରମ୍ଭ ହୋଇଛି । ଶ୍ରୀହରିକୋଟା ସ୍ପେସ୍‌ ସେଣ୍ଟରରୁ ଉତ୍‌କ୍ଷେପଣ ହେଲା ‘ଆଦିତ୍ୟ L1’। PSLV-C57ରେ ‘ଆଦିତ୍ୟ L1’ର କରାଗଲା ଉତ୍‌କ୍ଷେପଣ। ସୂର୍ଯ୍ୟଠାରୁ ୧୪.୮୫ କୋଟି କିଲୋମିଟର ଦୂରତାରେ ରହି ଏହାର ଫେସ୍ ରିଡିଙ୍ଗ କରିବ ଆଦିତ୍ୟ ଏଲ୍-୧ ।

  2. ସଫଳତାର ସହିତ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଶେଷ କରିଥିବା ‘ଚନ୍ଦ୍ରଯାନ-୩’ର ‘ରୋଭର୍‌ ପ୍ରଜ୍ଞାନ’କୁ ଚନ୍ଦ୍ରପୃଷ୍ଠରେ ନିରାପଦରେ ‘ପାର୍କିଙ୍ଗ୍‌’ କରାଇ ‘ସ୍ଲିପ୍‌ ମୋଡ୍‌’ରେ (ନିଷ୍କ୍ରିୟ ଅବସ୍ଥା) ରଖାଯାଇଥିବା କଥା ଶନିବାର ରାତିରେ ଭାରତୀୟ ମହାକାଶ ଏଜେନ୍‌ସି ‘ଇସ୍ରୋ’ କହିଛି।

  3. ଦେଶର ନିର୍ବାଚନ ପ୍ରକ୍ରିୟାରେ ସଂସ୍କାର ଆଣିବା ସହିତ ‘ ଏକ ରାଷ୍ଟ୍ର, ଏକ ନିର୍ବାଚନ’ ନୀତି ପ୍ରଚଳନ କରିବାକୁ କେନ୍ଦ୍ର ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ଆସନ୍ତା ୧୮ ରୁ ୨୨ ତାରିଖ ଯାଏଁ ଡକାଯାଇଥିବା ସଂସଦର ସ୍ବତନ୍ତ୍ର ଅଧିବେଶନରେ ଏହି ପ୍ରସଙ୍ଗରେ ବିଲ୍‌ ଅଣାଯାଇ ଆଲୋଚନା କରିବାକୁ କେନ୍ଦ୍ର ସରକାର ପ୍ରସ୍ତୁତ ହେଉଛନ୍ତି।

  4. ପୁଲିସ ବିଭାଗର କାର୍ଯ୍ୟକୁ ଆହୁରି ସହଜ କରିବା ପାଇଁ ଆଜି ୧୯୦ଟି ପୁଲିସ ଯାନର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଓ.ଏସ.ଏ.ପି ୭ମ ବାଟାଲିୟନଠାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇ ୧୯୦ଟି ପୁଲିସ ଯାନର ଶୁଭାରମ୍ଭ କରିଛନ୍ତି।

  5. ଓଡ଼ିଶା ବିଧାନସଭାରେ ପୂର୍ବତନ ବାଚସ୍ପତି ତଥା ଦିଗପହଣ୍ଡିର ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ। ଗତକାଲି ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ସନ୍ଧ୍ୟା ୭.୩୧ରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା।

  6. ଟ୍ରେନ୍ ଦୁର୍ଘଟଣା ମାମଲାରେ ଗିରଫ ୩ ରେଳ ଅଧିକାରୀଙ୍କ ନାଁରେ ଭୁବନେଶ୍ୱରରେ ସ୍ପେଶାଲ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି  ତଦନ୍ତକାରୀ ସଂସ୍ଥା ସିବିଆଇ ।

  7. ନ୍ୟାୟପାଳିକାରେ ‘ଦୁର୍ନୀତି’ ମନ୍ତବ୍ୟ ପାଇଁ ହାଇକୋର୍ଟ ନିଜ ଆଡୁ ଗେହଲଟ୍‌ଙ୍କ ବିରୋଧରେ ଅପରାଧିକ ଅବମାନନା ପ୍ରକ୍ରିୟା ଆରମ୍ଭ କରିବାକୁ ଅନୁରୋଧ କରି ଏକ ଜନସ୍ବାର୍ଥ ମାମଲା ଦାୟର ହୋଇଥିଲା । ଶିବଚର ଗୁପ୍ତା ନାମକ ଜଣେ ଓକିଲ ଏହି ମାମଲା ଦାୟର କରିଥିଲେ । ଜଷ୍ଟିସ ଏମ୍.ଏମ୍ ଶ୍ରୀବାସ୍ତବ ଏବଂ ଜଷ୍ଟିସ ଆଶୁତୋଷ କୁମାରଙ୍କ ଏକ ଖଣ୍ଡପୀଠ ଶନିବାର ଏହି ପିଟିସନର ଶୁଣାଣି ବେଳେ ମୁଖ୍ୟମନ୍ତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ।

  8. ଝାରସୁଗୁଡା ଜିଲ୍ଲାରେ ହୀରାକୁଦ ବନ୍ଧ ବିସ୍ଥାପିତ ମାନଙ୍କର ସମସ୍ୟା ୫୦ ବର୍ଷରୁ ଅଧିକ ସମୟର। ଲଖନପୁର ତହସିଲର ୧୮ଟି ଗାଁ ଓ ଝାରସୁଗୁଡା ତହସିଲର ଗୋଟିଏ ଗାଁ, ଏହିପରି ୧୯ଟି ଗାଁର ଜମି ସମସ୍ୟାର ସମାଧାନ ପାଇଁ ବୈଠକରେ ନିଷ୍ପତ୍ତି କରାଯାଇଛି । ୧୭୪୯ଟି ପରିବାରକୁ ପ୍ରାୟ ୩୨୩୧ ଏକର ଜମି ଉପରେ ଅଧିକାର ଦିଆଯିବ। ଡିସେମ୍ବର ମାସରୁ ଲିମେଇତିକ୍ରା, ସାହାସବାଗ, ଲାଛିପଲ୍ଲୀ, ପାତ୍ରପଲ୍ଲୀ ଓ ଡୁଆଁମୁଣ୍ଡା – ଏହି ୫ଟି ଗାଁରେ ପଟ୍ଟା ବଣ୍ଟନ ଆରମ୍ଭ ହେବ ।

  9. ଭୟଙ୍କର ବଜ୍ରପାତ ସହ ପ୍ରବଳ ବର୍ଷାରେ ବେହାଲ ହେଲା ରାଜଧାନୀ ଭୁବନେଶ୍ୱର । ୨୧ ମିନିଟରେ ୬ ହଜାର ୯୦୬ ଥର ବିଜୁଳି ଘଡ଼ଘଡ଼ି ମାରିଲା । ପ୍ରବଳ ବର୍ଷା ଯୋଗୁଁ ରାସ୍ତାରେ ଲହଡ଼ି ମାରିଲା ଆଣ୍ଠୁଏ ଉଚ୍ଚର ପାଣି ।

  10. ପିପିଲି ଟୋଲଗେଟ ନିକଟରୁ ୧ କେଜି ୮୦ଗ୍ରାମ ବ୍ରାଉନସୁଗର ଜବତ ହୋଇଛି । ଏହି ମାମଲାରେ ଦୁଇ ଜଣ ଡ୍ରଗ୍ସ ମାଫିଆଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ । ଜବତ ବ୍ରାଉନସୁଗାରର ମୂଲ୍ୟ ଆନୁମାନିକ ୧ କୋଟି ୮ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।

  11. ଜେଟ ଏୟାରୱେଜର ପ୍ରତିଷ୍ଠାତା ନରେଶ ଗୋୟଲଙ୍କୁ ଗିରଫ କଲା ଇଡି । କାନାରା ବ୍ୟାଙ୍କରେ ୫୩୮ କୋଟି ଟଙ୍କାର ଠକେଇ ଅଭିଯୋଗରେ ଜେଟ୍‌ ଏୟାରୱେଜ୍ ପ୍ରତିଷ୍ଠାତା ନରେଶ ଗୋୟଲଙ୍କୁ ଶୁକ୍ରବାର ବିଳମ୍ବିତ ରାତିରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି।

  12. ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ବିଶିଷ୍ଟ ଆଇନଜୀବୀ ଶିବ ଶଙ୍କର ମିଶ୍ର ଓ ବରିଷ୍ଠ ବିଚାର ବିଭାଗୀୟ ଅଧିକାରୀ ଆନନ୍ଦ ଚନ୍ଦ୍ର ବେହେରାଙ୍କୁ ନିଯୁକ୍ତି ମିଳିଛି।

  13. ଚଳିତ ବର୍ଷ ପ୍ରଦାନ ହେବାକୁ ଥିବା ଜାତୀୟ ଶିକ୍ଷକ ପୁରସ୍କାର ଘୋଷଣା କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସେପ୍ଟେମ୍ବର ୫ରେ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଏହି ୭୫ ଜଣ ମନୋନୀତ ଶିକ୍ଷକଙ୍କୁ ୨୦୨୩ ବର୍ଷ ପାଇଁ ଜାତୀୟ ପୁରସ୍କାର ପ୍ରଦାନ କରିବେ।

  14. ଚଳିତବର୍ଷ ମୋଟ ୫୦ଜଣ ସ୍କୁଲ ଶିକ୍ଷକ, ୧୩ ଜଣ ଉଚ୍ଚ ଶିକ୍ଷାନୁଷ୍ଠାନ ଶିକ୍ଷକ ଓ ଦକ୍ଷତାବୃଦ୍ଧି ମନ୍ତ୍ରଣାଳୟର ୧୨ ଜଣ ଶିକ୍ଷକ ଏହି ପୁରସ୍କାର ଲାଭ କରିବେ। ଚଳିତବର୍ଷ ଓଡ଼ିଶାରୁ ଶଶି ଶେଖର କର ଶର୍ମା, ସୁଭାଷ ଚନ୍ଦ୍ର ରାଉତ, ରବି ନାରାୟଣ ସାହୁ ଏବଂ ସୁନିତା ସିଂହ ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି

  15. ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ 'ଇଣ୍ଡିଆ' ପରିବର୍ତ୍ତେ 'ଭାରତ' ନାମ ବ୍ୟବହାର କରିବାକୁ ଲୋକଙ୍କୁ ନିବେଦନ କରିଛନ୍ତି। ଭାରତ ଆମର ପ୍ରାଚୀନ ଓ ବହୁପ୍ରଚଳିତ ନାମ  ।

  16. ଗତମାସ ୨୧ ତାରିଖରେ ରୁଷ୍‌ର ମହାକାଶ ଗବେଷଣା ସଂସ୍ଥା ରସକସମସ ପକ୍ଷରୁ ଚନ୍ଦ୍ରର ଦକ୍ଷିଣ ମେରୁକୁ ପ୍ରେରଣ କରାଯାଇଥିବା ଲୁନା-୨୫ ଯାନ ଲକ୍ଷ୍ୟ ହାସଲ କରି ନପାରି ‌ସେଠାରେ ଖସି ପଡ଼ିଥିଲା।

  17. ଉତ୍ତର କୋରିଆ କୋରୀୟ ଉପଦ୍ବୀପର ପଶ୍ଚିମ ଉପକୂଳରେ ଥିବା ପୀତ ସାଗର (ୟେଲୋ ସି) ମଧ୍ୟକୁ ଏକାଧିକ କ୍ରୁଜ୍‌ ମିସାଇଲ୍‌ ନିକ୍ଷେପ କରିଥିବା କଥା ଦକ୍ଷିଣ କୋରିଆ ସେନା କହିଛି।

  18. ବିଶ୍ବବିଦ୍ୟାଳୟଗୁଡ଼ିକ ଦ୍ବାରା ପ୍ରଦାନ କରାଯାଉଥିବା ପ୍ରୋଭିଜିନାଲ ସାର୍ଟିଫିକେଟ୍ ଏବଂ ଡିଗ୍ରୀରେ ଛାତ୍ରଛାତ୍ରୀଙ୍କ ଆଧାର ନମ୍ବର ପ୍ରଦର୍ଶନ ହୋଇପାରିବନି। ୟୁଆଇଡିଏଆଇର ନିୟମାବଳୀକୁ କଡ଼ାକଡ଼ି ପାଳନ କରିବାକୁ ସମସ୍ତ ବିଶ୍ବବିଦ୍ୟାଳୟ କୁଳପତି ଏବଂ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ନିର୍ଦେଶ ଦେଇଛି ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)।

  19. ଭାରତୀୟ ‌ଅଟୋମୋବାଇଲ କମ୍ପାନିଗୁଡ଼ିକ ଅଗଷ୍ଟ ମାସରେ ଦେଶରେ ରେକର୍ଡ ୩,୬୦,୮୯୭ ୟୁନିଟ୍ କାର୍‌ ବିକ୍ରି କରିଛି। ଗତବର୍ଷ ଅଗଷ୍ଟ ମାସର ବିକ୍ରି ତୁଳନାରେ ଏହା ୧୦.୪ ପ୍ରତିଶତ ଅଧିକ।

  20. ବର୍ଷା ଯୋଗୁଁ ଭାରତ ଓ ପାକିସ୍ତାନ ମଧ୍ୟରେ ଏସିଆ କପ୍‌ରେ ଖେଳାଯାଇଥିବା ମ୍ୟାଚ୍‌ ଅଧାରୁ ବାତିଲ୍‌ ହୋଇଛି। ଏହି ମ୍ୟାଚ୍‌ରେ ଭାରତ ଟସ୍‌ ଜିତି ବ୍ୟାଟିଂ କରିଥିଲା ବେଳେ ସମସ୍ତ ୱିକେଟ୍‌ ବିନିମୟରେ ୨୬୬ ରନ୍‌ ସଂଗ୍ରହ କରିଥିଲା।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.