- 1.‘୨୦୨୪ ଗ୍ଲୋବାଲ୍ ରିପୋର୍ଟ ଅନ୍ ଫୁଡ୍ କ୍ରାଇସିସ୍’ ନାମକ ରିପୋର୍ଟରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ବିଶେଷ କରି ଚୀନରେ ଖାଦ୍ୟ ଉତ୍ପାଦନ ୨୨.୪ ପ୍ରତିଶତ, ଭାରତରେ ୧୬.୧ ପ୍ରତିଶତ ଓ ଆମେରିକାରେ ୧୨.୬ ପ୍ରତିଶତ କମିଯିବ ।
-
2.ଚାଇନାର ସ୍ପେସ୍ ପାୟୋନିଅର କମ୍ପାନୀ ଦ୍ୱାରା ‘ତିଆନ୍ଲଙ୍ଗ୍-୩’ ରକେଟକୁ ପରୀକ୍ଷଣ କରାଯାଉଥିବାବେଳେ ଏହା ହଠାତ୍ ଉତ୍କ୍ଷେପିତ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି।
-
3.ବିନା ଅନୁମତିରେ ତାଳଗଛ କାଟିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ। ବନ ବିଭାଗ ଅନୁମତି ବିନା ନିଜ ବାଡିରୁ ମଧ୍ୟ ତାଳ ଗଛ କାଟିପାରିବେନି। ତାଳ ଗଛ କଟାରେ ରୋକ ନେଇ ପିସିସିଏଫ ଦେବୀଦତ୍ତ ବିଶ୍ୱାଳଙ୍କ ପକ୍ଷରୁ ସୋମବାର ସୂଚନା ମିଳିଛି। ରାଜ୍ୟରେ ବଜ୍ରପାତ ଜନିତ ମୃତ୍ୟୁରେ ରୋକ ଲଗାଇବାକୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟରେ ଚଳିତ ବର୍ଷ ୧୯ ଲକ୍ଷ ତାଳଗଛ ଲଗାଯିବ।
-
4.ଭାରତୀୟମାନେ ବିଦେଶ ଯାଉଥିବା ବେଳେ ସେଠାରେ ବିପୁଳ ପରିମାଣର ଖର୍ଚ୍ଚ କରୁଛନ୍ତି। ଦଶନ୍ଧି ଭିତରେ ବିଦେଶରେ ଭାରତୀୟଙ୍କ ଖର୍ଚ୍ଚରେ ୨୯ ଗୁଣା ବୃଦ୍ଧି ଘଟିଛି। ଭାରତୀୟମାନେ ବିଦେଶରେ କରିଥିବା ଖର୍ଚ୍ଚରେ ଭ୍ରମଣର ଭାଗ ୫୩.୬ ପ୍ରତିଶତ ରହିଛି। ସମ୍ପର୍କୀୟଙ୍କ ଭରଣପୋଷଣରେ ସେମାନେ ୧୫.୯ ପ୍ରତିଶତ, ଉପହାର ବାବଦରେ ୧୧.୩ ପ୍ରତିଶତ ଏବଂ ପିଲାଙ୍କ ପାଠପଢ଼ାରେ ୧୧ ପ୍ରତିଶତ ଅର୍ଥ ଖର୍ଚ୍ଚ କରିଛନ୍ତି।
-
5.ବିଶ୍ବର ସବୁଠୁ କ୍ଷୁଦ୍ର ପ୍ରଜାତି ହାତୀର ମାନ୍ୟତା ରଖିଥିବା ‘ବୋର୍ଣ୍ଣୀୟ ହାତୀ’ ଏବେ ବିଲୋପନର ପାଦଦେଶରେ। ଆନ୍ତର୍ଜାତିକ ପ୍ରକୃତି ସଂରକ୍ଷଣ ସଂଘ (ଆଇୟୁସିଏନ୍) ଦ୍ବାରା ବିପନ୍ନ ଘୋଷିତ ଏହି ପଶୁସମ୍ପଦ ଦେଖିବାକୁ ଖୁବ୍ କୌତୁକିଆ ଅଟେ।
-
6.ସାଢ଼େ ୪ ବର୍ଷ ବିତିଗଲା ସରିଲାନି ହଂସପାଳ ଫ୍ଲାଏ ଓଭର କାମ ନିର୍ଦ୍ଧାରିତ ସମୟ ପରେ ମଧ୍ୟ ଛତିଶଗଡ଼ର ଠିକାସଂସ୍ଥା ବ୍ରିଜେଶ ଅଗ୍ରୱାଲ୍କୁ ୩ ଥର ଅବଧି ବଢ଼ାଗଲା। ହେଲେ ନିର୍ମାଣରେ ଅହେତୁକ ବିଳମ୍ବ ପାଇଁ ଏହି ସଂସ୍ଥାର ଟେଣ୍ଡର ବାତିଲ କରିଛି ଏନ୍ଏଚ୍ଏଆଇ।
-
7.ସୌହାର୍ଦ୍ଦ୍ୟପୂର୍ଣ୍ଣ ସହାବସ୍ଥାନ ନିମନ୍ତେ କାର୍ଯ୍ୟକାରୀ ହୋଇଥିବା ପଞ୍ଚଶୀଳ ନୀତିର ୭୦ତମ ବାର୍ଷିକୀ ଉତ୍ସବ ଚୀନ ପାଳନ କରିଛି। ଏହି ଅବସରରେ ଚୀନ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ନେହରୁଙ୍କ ପଞ୍ଚଶୀଳ ନୀତିକୁ ପ୍ରଶଂସା କରିଛନ୍ତି।
-
8.ରାଜ୍ୟରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି) ସଂଗ୍ରହ ଜୁନ୍ ମାସରେ ହ୍ରାସ ପାଇଛି। ଚଳିତ ବର୍ଷ ମେ’ରେ ୫୦୨୭ କୋଟି ଟଙ୍କାର ଜିଏସ୍ଟି ଆଦାୟ ହୋଇଥିଲା। ଜୁନ୍ରେ ତା’ଠାରୁ ୪୦ କୋଟି ଟଙ୍କା କମ୍ ଅର୍ଥାତ ୪୯୮୭.୨୭ କୋଟି ଟଙ୍କାର ଜିଏସ୍ଟି ସଂଗ୍ରହ ହୋଇଥିବା ବାଣିଜ୍ୟ କର ଓ ଜିଏସ୍ଟି କମିସନରେଟ୍ ତରଫରୁ ଜାରି କରାଯାଇଥିବା ତଥ୍ୟରୁ ଜଣାପଡ଼ିଛି।
-
9.ସମ୍ବଲପୁର ଜିଲ୍ଲାର ଚାରୁଲତା କରଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କର ନୂଆ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଇଡି) ଭାବେ ନିଯୁକ୍ତି ମିଳିଛି। ତାଙ୍କ କାର୍ଯ୍ୟକାଳ ଜୁଲାଇ ପହିଲାରୁ ଆରମ୍ଭ ହୋଇଛି।
-
10.ଦେଶରେ କମିଲା ବାଣିଜ୍ୟିକ ଏଲ୍ପିଜି ଦର। ନୂଆଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ ଭଳି ମେଟ୍ରୋ ସହର ସମେତ ସମଗ୍ର ଦେଶରେ ୧୯ କିଲୋଗ୍ରାମ୍ର ବାଣିଜ୍ୟିକ ଏଲ୍ପିଜି ସିଲିଣ୍ଡର ଉପରେ ୩୦ ଟଙ୍କା ମୂଲ୍ୟ ହ୍ରାସ ଘୋଷଣା କରିଛନ୍ତି ତୈଳ ମାର୍କେଟିଂ କମ୍ପାନିଗୁଡ଼ିକ।
-
11.ଉର୍ଜା ଗଙ୍ଗା ଯୋଜନାର ଅଂଶ ସ୍ବରୂପ ସ୍ଥାପନ କରାଯାଉଥିବା ଜଗଦୀଶପୁର-ହଳଦିଆ-ବୋକାରୋ-ଧାମରା ଗ୍ୟାସ୍ ପାଇପ୍ଲାଇନ୍ କାର୍ଯ୍ୟରେ ୯ ମାସର ବିଳମ୍ବ ହେବ। ଏହାର ନିର୍ମାଣ କାର୍ଯ୍ୟ ୨୦୨୫ ମାର୍ଚ୍ଚ ସୁଦ୍ଧା ଶେଷ ହେବ ବୋଲି ରାଷ୍ଟ୍ରାୟତ୍ତ ଗ୍ୟାସ୍ କମ୍ପାନି ଗେଲ୍ ସୂଚନା ଦେଇଛି
-
12.ଦୀର୍ଘ ୧୬ ବର୍ଷ ପରେ ସାଧାରଣ ଲୋକଙ୍କ ପାଇଁ ଖୋଲିଲା ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ। ୨୦୦୮ ମସିହାରେ ଶେଷଥର ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କ ଅଭିଯୋଗ ଶୁଣିଥିଲେ।
-
13.ବର୍ତ୍ତମାନ ସୁଦ୍ଧା ୨୦୦୦ଟଙ୍କିଆ ନୋଟର ମୋଟ ୯୭.୮୭ ପ୍ରତିଶତ ବ୍ୟାଙ୍କିଙ୍ଗ୍ ସିଷ୍ଟମକୁ ଫେରିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏକ ବିବୃତି ଜାରି କରି କହିଛି।
-
14.୨୦୨୪-୨୫ ଶିକ୍ଷାବର୍ଷ ପାଇଁ ଯୁକ୍ତ୨ ପ୍ରଥମ ବର୍ଷ ବା ଏକାଦଶ ଶ୍ରେଣୀରେ ନାମଲେଖା ନିମନ୍ତେ ଆବେଦନ ଅବଧିକୁ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
-
15.କେନିଆରେ ବିଦ୍ରୋହ, ୩୯ ମୃତ। ନୂତନ ଆୟକରକୁ ବିରୋଧ କରି କେନିଆରେ ବିଦ୍ରୋହ ଦେଖିବାକୁ ମିଳିଛି। ସରକାର ବିରୋଧୀ ଆନ୍ଦୋଳନରେ ୩୯ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୬୦ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି।