-
1.ଇସ୍ରାଏଲ ପକ୍ଷରୁ ବେରୁତ ଉପରେ ହୋଇଥିବା ପ୍ରଚଣ୍ଡ ଆକ୍ରମଣରେ ହେଜବୁଲ୍ଲା ମୁଖ୍ୟ ହସନ ନସ୍ରଲ୍ଲା ନିହତ ହୋଇଥିବାରୁ ଏବେ ତା’ ସ୍ଥାନରେ ସଂଗଠନର ଜଣେ ପ୍ରମୁଖ କମାଣ୍ଡର୍ ହାସେମ୍ ସଫିଦ୍ଦିନକୁ ହେଜବୁଲ୍ଲାର ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି।
-
2. ଆମେରିକା ବାୟୁସେନା ସିରିଆରେ ଥିବା ଆତଙ୍କବାଦୀ ଶିବିର ଉପରେ ଦୁଇଟି ବଡ଼ ଧରଣର ଆକ୍ରମଣ କରିଛି। ଏହି ଆକ୍ରମଣରେ ଉଗ୍ରବାଦୀ ଇସ୍ଲାମିକ୍ ଷ୍ଟେଟ୍ (ଆଇଏସ୍) ସଂଗଠନ ଏବଂ ଅଲ୍ କାଏଦା ସହ ଜଡ଼ିତ ୩୭ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।
-
3.ଲେବାନନରେ ଭୟଙ୍କର ପେଜର୍ ବିସ୍ଫୋରଣ ପରେ ଭାରତ ସରକାର ସତର୍କ ହୋଇଛନ୍ତି। ସିସିଟିଭି ଯୋଗାଣ ପ୍ରକ୍ରିୟାରୁ ଚୀନ କମ୍ପାନିଗୁଡ଼ିକୁ ବାଦ୍ ଦେବାପାଇଁ ଉଦ୍ୟମ ଆରମ୍ଭ ହୋଇଛି।
-
4.ଆଗାମୀ ଦିନରେ ପ୍ରଦୂଷଣ ରୋକିବାକୁ ଓଡିଶା ରାଜ୍ୟର ବିଭିନ୍ନ ସହରରେ ୪୦୦ଟି ଇ-ବସ୍ ଚଳାଇବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।
-
5.ହୁରୁନ୍ ଇଣ୍ଡିଆ ପକ୍ଷରୁ ଜାରି କରାଯାଇଥିବା ୩୫ ବର୍ଷରୁ କମ୍ ବୟସ ପ୍ରମୁଖ ଭାରତୀୟ ଯୁବ ଉଦ୍ୟୋଗୀଙ୍କ ତାଲିକାରେ ଓଡ଼ିଶାର ବିଭୁପ୍ରସାଦ ଦାସ ଓ ବ୍ରିଜେଶ ସାମନ୍ତରାୟଙ୍କ ନାମ ରହିଛି। ବିଭୁ ତାଲିକାର ୧୩୦ ଓ ବ୍ରିଜେଶ ୧୫୦ତମ ସ୍ଥାନରେ ରହିଛନ୍ତି।
-
6.ଓଡିଶାର ୫୪ ଜଣ ବରିଷ୍ଠ ପୁଲିସ ଅଧିକାରୀଙ୍କ ବଦଳି ହୋଇଛି। ପୁଲିସ କମିସନର ସଂଜୀବ ପଣ୍ଡାଙ୍କୁ ଏଡିଜି ଟ୍ରେନିଂ ଓ ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଟ୍ରେନିଂ ଏକାଡେମୀକୁ ନିର୍ଦ୍ଦେଶକ ଭାବେ ବଦଳି ହୋଇଥିବା ବେଳେ ତାଙ୍କ ସ୍ଥାନରେ ରାଜ୍ୟ ସରକାର ସୁରେଶ ଦେବଦତ୍ତ ସିଂଙ୍କୁ ଅବସ୍ଥାପିତ କରିଛନ୍ତି।
-
7.ଓଡ଼ିଶାର ମୟୂରଭଞ୍ଜର ରାମଜୀତ ଟୁଡୁ ଏକ ଅଭିଯାନ ଚଳାଇଛନ୍ତି। ରାମଜୀତ ଜୀ ଏପରି ଏକ ଡିଜିଟାଲ୍ ପ୍ଲାଟଫର୍ମ ତିଆରି କରିଛନ୍ତି, ଯେଉଁଥିରେ ସାନ୍ତାଳୀ ଭାଷାର ସାହିତ୍ୟକୁ ପଢ଼ିହେବ ଏବଂ ସାନ୍ତାଳୀ ଭାଷାରେ ଲେଖାଯାଇପାରିବ।
-
8.ଜମ୍ମୁ-କଶ୍ମୀର ବିଧାନସଭାର ତୃତୀୟ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ନିର୍ବାଚନ ମଙ୍ଗଳବାର ହେବାକୁ ଥିବାବେଳେ ଏଥିପାଇଁ ପ୍ରଚାର ରବିବାର ସନ୍ଧ୍ୟାରେ ଶେଷ ହୋଇଛି।
-
9.ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନ୍ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ୪ ଜଣ ବିଧାୟକ ଡିଏମ୍କେ ସରକାରରେ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।
-
10.ଜମ୍ମୁ ଓ କଶ୍ମୀରରେ ଏକ ନିର୍ବାଚନୀ ରାଲିବେଳେ ଅସୁସ୍ଥ ହୋଇପଡ଼ିଥିବା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ଫୋନ କରି ତାଙ୍କର ସ୍ବାସ୍ଥ୍ୟାବସ୍ଥା ବୁଝିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
-
11.ଦଳବିରୋଧୀ କାର୍ଯ୍ୟପାଇଁ ହରିୟାଣା ବିଜେପି ୮ ଜଣ ଦଳୀୟ ନେତାଙ୍କୁ ୬ ବର୍ଷ ପାଇଁ ବହିଷ୍କାର କରିଛି।ହରିୟାଣା ବିଜେପି ରାଜ୍ୟ ସଭାପତି ମୋହନଲାଲ ବରୌଲି ଏହି ୮ ଜଣ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସୂଚନା ଦେଇଛନ୍ତି।
-
12.ମଲିଉଡ୍ର ବରିଷ୍ଠ ଫିଲ୍ମ ନିର୍ମାତା ବାଲଚନ୍ଦ୍ର ମେନନ୍ଙ୍କ ବିରୋଧରେ ରବିବାର ଅଭିନେତ୍ରୀ ମିନୁ ମୁନିର ଏକ ସଙ୍ଗିନ ଅଭିଯୋଗ ଆଣିଛନ୍ତି। ୨୦୦୭ରେ ଅନ୍ୟମାନଙ୍କ ସହ ମିଶି ସେକ୍ସୁଆଲ ଆକ୍ଟ ଦେଖିବାକୁ ତାଙ୍କୁ ମେନନ୍ ବାଧ୍ୟ କରିଥିଲେ ବୋଲି ମିନୁ ଅଭିଯୋଗ ଆଣିଛନ୍ତି।
-
13.ଗୁଗୁଲକୁ ଏହାର ଜଣେ ପୂର୍ବତନ କର୍ମଚାରୀଙ୍କୁ ପୁନଃ-ନିଯୁକ୍ତି ଦେବା ପାଇଁ ବିପୁଳ ପରିମାଣର ଅର୍ଥ ଦେବାକୁ ପଡିବ। ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଜିନିୟସ୍ କୁହାଯାଉଥିବା ଏହି ବ୍ୟକ୍ତିଙ୍କ ନାମ ହେଉଛି ନୋମ୍ ଶାଜିର, ଯିଏ ଗୁଗୁଲ ଉପରେ ରାଗିଯାଇ ନିଜର ଷ୍ଟାର୍ଟଅପ୍ ସ୍ଥାପନ ପାଇଁ ଚାକିରି ଛାଡିଥିଲେ। ବର୍ତ୍ତମାନ ଗୁଗୁଲ ତାଙ୍କୁ ୨.୭ ବିଲିୟନ ଡଲାର ଅର୍ଥାତ୍ ପ୍ରାୟ ୨୨୫୮୪ କୋଟି ଟଙ୍କା ଦେଇଛି।
-
14.ଭାରତ ବିଶ୍ୱରେ ମାନବ କେଶର ପ୍ରମୁଖ ଯୋଗାଣକାରୀ ହୋଇପାରିଛି। ସୂଚନାନୁସାରେ, ଗତ ଦୁଇ ବର୍ଷ ମଧ୍ୟରେ ଭାରତ କେଶ ବିକ୍ରି କରି ୨,୬୫୦ କୋଟିରୁ ଅଧିକ ଆୟ କରିଛି। ଭାରତୀୟଙ୍କ କେଶ ଚୀନ, ମାଲେସିଆ, ଥାଇଲ୍ୟାଣ୍ଡ, ବାଂଲାଦେଶ, ଶ୍ରୀଲଙ୍କା, ମାଲଦ୍ୱୀପ ଏବଂ ବର୍ମାକୁ ପଠାଯାଏ ।
-
15.ଅକ୍ଟୋବର ୬ରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗର ସୂଚନାନୁସାରେ, ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ପାର୍ଶବର୍ତ୍ତୀ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହାର ପ୍ରଭାବରେ ରାଜ୍ୟରେ ଅକ୍ଟୋବର ୪ରୁ ୧୦ ଯାଏ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।