-
1.ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଲୋକଭବନରୁ ବାହାରି ବିମାନ ଯୋଗେ ଯାଜପୁର ନୂଆ ପ୍ରଶାସନିକ ଭବନ ଗ୍ରାଉଣ୍ଡ ହେପ୍ୟାଡ୍ରେ ଅବତରଣ କରିବେ। ସେଠାରୁ ମା’ ବିରଜାଙ୍କ ଦର୍ଶନ ପାଇଁ ବାହାରିବେ। ପ୍ରାୟ ଦେଢ଼ ଘଣ୍ଟା ଧରି ମନ୍ଦିରରେ ପୂଜାର୍ଚ୍ଚନା ପରେ ବାଲେଶ୍ଵରସ୍ଥିତ ଫକୀରମୋହନ ବିଶ୍ଵବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ।
-
2.୯୦ ବର୍ଷ ବୟସରେ ଆଧ୍ୟାତ୍ମିକ ଗୁରୁ ଦଲାଇ ଲାମାଙ୍କୁ ଗ୍ରାମୀ ଆୱାର୍ଡ ମିଳିଲା । ୬୮ତମ ବାର୍ଷିକ ଗ୍ରାମୀ ପୁରସ୍କାର ଉତ୍ସବରେ, ଦଲାଇ ଲାମା ତାଙ୍କ ଆଲବମ୍ ମେଡିଟେସନ୍: ଦି ରିଫ୍ଲେକ୍ସନ୍ସ ଅଫ୍ ହିଜ୍ ହୋଲିନେସ୍ ଦି ଦଲାଇ ଲାମା’ପାଇଁ ସର୍ବୋତ୍ତମ ଅଡିଓବୁକ୍, ନାରେସନ୍ ଓ ଷ୍ଟୋରିଟେଲିଂ ରେକର୍ଡିଂ ପାଇଁ ପୁରସ୍କାର ଜିତିଛନ୍ତି।
-
3. ୨୦୨୬-୨୭ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ମୋଟ ୧୭.୨ ଲକ୍ଷ କୋଟି ଟଙ୍କାର ଋଣ କରିବେ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ରେ ଏହା ଘୋଷଣା କରିଛନ୍ତି।
-
4.ଭାରତ-ଆମେରିକା ମଧ୍ୟରେ ହୋଇଥିବା ନୂଆ ଚୁକ୍ତି ଅନୁଯାୟୀ, ଆମେରିକା ଭାରତୀୟ ସାମଗ୍ରୀ ଉପରେ ଲାଗୁ କରିଥିବା ପାଲଟା ଶୁଳ୍କକୁ ୨୫ ପ୍ରତିଶତରୁ ୧୮ ପ୍ରତିଶତକୁ ହ୍ରାସ କରିଛି।
-
5.ପାକିସ୍ତାନର ବଲୁଚିସ୍ତାନ ପ୍ରଦେଶର ୧୨ଟି ସହରରେ ସେନା ଓ ବିଦ୍ରୋହୀଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଛି। ବିଦ୍ରୋହୀମାନେ ପ୍ରଦେଶର ୧୨ଟି ସହରରେ ସମନ୍ବିତ ଆକ୍ରମଣ ଆରମ୍ଭ କରିବା ପରେ ସେନା ପକ୍ଷରୁ ବିଦ୍ରୋହୀଙ୍କୁ ନିପାତ କରିବା ପାଇଁ ବଡ଼ ଧରଣର ଅଭିଯାନ ଆରମ୍ଭ ହୋଇଛି।
-
6.ଆଣ୍ଟର୍କଟିକାର ଭୂଇଁ ତଳେ ବୈଜ୍ଞାନିକମାନେ ପୃଥିବୀର ସର୍ବପ୍ରଥମ ବରଫ ଅଭିଲେଖାଗାର ପ୍ରତିଷ୍ଠା କରିଛନ୍ତି। ପୃଥିବୀର ସବୁ ପ୍ରାନ୍ତରେ ହିମବାହଗୁଡ଼ିକ ରେକର୍ଡ ବେଗରେ ତରଳିବାକୁ ଲାଗିଥିବା ବେଳେ ସେଗୁଡ଼ିକ ମଧ୍ୟରୁ ବରଫ ଖଣ୍ଡମାନ ବାହାର କରି କନ୍କୋର୍ଡିଆ ରିସର୍ଚ ଷ୍ଟେସନ୍ ନିକଟରେ ପ୍ରତିଷ୍ଠିତ ‘ଆଇସ୍ ମେମୋରି ସାଙ୍କ୍ଚୁଆରି’ ନାମକ ଅଭିଲେଖାଗାରରେ ସଂରକ୍ଷିତ ରଖାଯାଉଛି।
-
7.ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଟିଏମ୍ସି ପ୍ରତିନିଧି ଦଳ ସିଇସିଙ୍କୁ ଭେଟିବାପରେ ମମତା ଗଣମାଧ୍ୟମକୁ କହିଛନ୍ତି, ‘ ଆମେ ଖୁବ୍ ଦୁଃଖିତ ଏବଂ ବ୍ୟଥିତ। ଅନେକ ବର୍ଷ ଧରି ମୁଁ ରାଜନୀତିରେ ଅଛି, କିନ୍ତୁ ଏମିତି ଅହଙ୍କାରୀ ନିର୍ବାଚନ କମିସନର କେବେ ବି ଦେଖିନାହିଁ। ସେ ଖୁବ୍ ଅହଙ୍କାରୀ ଏବଂ ମିଛୁଆ ବୋଲି ମମତା ବାନାର୍ଜୀ କହିଛନ୍ତି।
-
8.ଉତ୍ତର ପ୍ରଦେଶ ସରକାର ବର୍ତ୍ତମାନ ୬୮,୦୦୦ରୁ ଅଧିକ ରାଜ୍ୟ କର୍ମଚାରୀଙ୍କ ଦରମା ବନ୍ଦ କରିଦେଇଛନ୍ତି। ସରକାରୀ ପୋର୍ଟାଲରେ ସେମାନଙ୍କର ସମ୍ପତ୍ତି ସୂଚନା ଅପଲୋଡ୍ କରିନାହାଁନ୍ତି ବୋଲି ସରକାର ଏହି ପଦକ୍ଷେପ ନେଇଛନ୍ତି।
-
9.ବଜେଟ୍ ଘୋଷଣା ପରେ ଅସ୍ଥିର ହୋଇପଡ଼ିଥିବା ଷ୍ଟକ୍ ବଜାର କାରବାରରେ ସୋମବାର ସୁଧାର ଘଟିଛି। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍ସେକ୍ସ ୯୪୩ ପଏଣ୍ଟ ବୃଦ୍ଧି ପାଇ ୮୧,୬୬୬ ପଏଣ୍ଟରେ ବନ୍ଦ ହୋଇଛି।
-
10.ଚଳିତବର୍ଷ ଜାନୁଆରି ମାସରେ ଦେଶରେ ୧,୯୩,୩୮୪ କୋଟି ଟଙ୍କାର ଜିଏସ୍ଟି ଆଦାୟ ହୋଇଛି। ୨୦୨୫ ଜାନୁଆରିରେ ଜିଏସ୍ଟି ଆଦାୟ ରାଶି ୧,୮୨,୦୯୪ କୋଟି ଟଙ୍କା ରହିଥିଲା।
-
11.ନନ୍ଦନକାନନ ପ୍ରାଣୀ ଉଦ୍ୟାନ ନୂଆ ନିର୍ଦେଶକ ହେଲେ ସନଥ କୁମାର ଏନ। ସେ ପୂର୍ବରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଡେପୁଟି ନିର୍ଦେଶକ ଥିଲେ ।
-
12.ଫୁଲବାଣୀର ଚର୍ଚ୍ଚିତ ତୁଳା ବେହେରାଙ୍କ ଜୀବନ କାହାଣୀ ଆଧାରିତ ଆର୍ଟମସ୍ ସ୍କ୍ରିନ୍ସର ଦ୍ବିତୀୟ ଓଡ଼ିଆ ଚଳଚ୍ଚିତ୍ର ସେବା, ସଂଘର୍ଷ ଓ ସମର୍ପଣର ଗାଥା… ‘ତୁଳା’ ର ‘ଶୁଭ ମୁହୂର୍ତ୍ତ’ ରବିବାର ଦିନ ଭୁବନେଶ୍ବର ବରମୁଣ୍ଡାସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ଠାରେ ଅନୁଷ୍ଠିତ ହୋଇ ଯାଇଅଛି।
-
13.ଉତ୍ତର ପ୍ରଦେଶର ଆହ୍ଲାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ସ୍ପଷ୍ଟ କରିଛନ୍ତି ଯେ କୌଣସି ବ୍ୟକ୍ତି କିମ୍ବା ସମ୍ପ୍ରଦାୟକୁ ସେମାନଙ୍କର ବ୍ୟକ୍ତିଗତ ପରିସରରେ ଧାର୍ମିକ ପ୍ରାର୍ଥନା ସମାବେଶ କରିବା ପାଇଁ ରାଜ୍ୟ ସରକାର କିମ୍ବା ପ୍ରଶାସନଠାରୁ ପୂର୍ବ ଅନୁମତି ନେବା ଆବଶ୍ୟକ ନାହିଁ।
-
14.ମିଶନ ଶକ୍ତି ମହିଳାଙ୍କୁ ସ୍ମାର୍ଟକାର୍ଡ ମିଳିବ । ଆସନ୍ତା ଉତ୍କଳ ଦିବସରେ ମିଳିବ ନୂଆ ୟୁନିଫର୍ମ ଓ ନୂଆ ପରିଚୟ ପତ୍ର। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଘୋଷଣା କରିଛନ୍ତି ।
-
15.ନୂଆ ଏନଏସି ଏବଂ ପୌରପାଳିକାରେ ନିର୍ବାଚନ ପାଇଁ ସୀମା ପୁନଃ ନିର୍ଦ୍ଧାରଣ ଏବଂ ସଂରକ୍ଷଣ ପ୍ରକ୍ରିୟା ଆରମ୍ଭ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନଗର ଉନ୍ନୟନ ବିଭାଗର ଚିଠି। ଫେବୃଆରୀ ୨୬ ରେ ସୀମା ପୁନଃ ନିର୍ଦ୍ଧାରଣ ଏବଂ ସଂରକ୍ଷଣ ବାବଦରେ ପ୍ରକାଶ ପାଇବ ବିଜ୍ଞପ୍ତି।
-
16. ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାୟଗଡା ଜିଲ୍ଲା ପାଇଁ ୬୦୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ୧୦୯ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ।
-
17.ଓଡ଼ିଶାର ରେଳ ଭିତ୍ତିଭୂମିର କାୟାକଳ୍ପ ପାଇଁ ଚଳିତ ବଜେଟ୍ରେ ରେକର୍ଡ ୧୦,୯୨୮ କୋଟି ଟଙ୍କା ବରାଦ କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଓଡ଼ିଶାବାସୀଙ୍କ ପକ୍ଷରୁ ଅଶେଷ ଧନ୍ୟବାଦ ବୋଲି ଶ୍ରୀ ମାଝୀ ସାମାଜିକ ଗଣମାଧ୍ୟମ ‘ଏକ୍ସ’ ମାଧ୍ୟମରେ କହିଛନ୍ତି।
-
18.ଉତ୍ତରାଖଣ୍ଡର ଡେରାଡୁନଠାରେ ଆୟୋଜିତ ସର୍ବଭାରତୀୟ ପେନ୍ଚାକ୍ ସିଲାଟ୍ ପ୍ରତିଯୋଗିତାରେ ଓଡ଼ିଶା ପ୍ରତିଯୋଗୀମାନେ ଉଲ୍ଲେଖନୀୟ ପ୍ରଦର୍ଶନ କରି ୧୯ଟି ପଦକ ଜିତି ନେଇଛନ୍ତି।
-
19.ଆଇଏସ୍ଏଲ୍ ଫୁଟ୍ବଲ୍ ପ୍ରତିଯୋଗିତା ୨୦୨୫-୨୬ ସଂସ୍କରଣର ପ୍ରସାରଣ ଅଧିକାର ଫ୍ୟାନ୍କୋଡ୍କୁ ମିଳିଛି। ସର୍ବଭାରତୀୟ ଫୁଟ୍ବଲ୍ ମହାସଂଘ (ଏଆଇଏଫ୍ଏଫ୍) ସୋମବାର ଏହାର ନିଲାମ ଅର୍ଥକୁ ଗ୍ରହଣ କରିଛି।
-
20. ଭାରତ-ପାକିସ୍ତାନରୁ ଆଇସିସି ପ୍ରାୟ ୨୫ କୋଟି ଆମେରିକୀୟ ଡଲାର ଅର୍ଥାତ୍ ଭାରତୀୟ ମୁଦ୍ରାରେ ପ୍ରାୟ ୨୨୦୦ କୋଟିରୁ ଅଧିକ ଟଙ୍କା ରାଜସ୍ବ ପାଇବା ଆକଳନ କରିଥିଲା। ଯଦି ଟ୍ବେଣ୍ଟି-୨୦ ବିଶ୍ବକପ୍ର ଏହି ବ୍ଲକ୍ବଷ୍ଟର ମ୍ୟାଚ୍ ଖେଳାଯିବନି ତେବେ ଏହା ସମସ୍ତ ଅଂଶୀଦାରଙ୍କ ଉପରେ ବ୍ୟାପକ କ୍ଷତି ପହଞ୍ଚାଇବ।